Indian Student: ବିଦେଶରେ ୪୦୩ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, କାନାଡ଼ାରେ ସର୍ବାଧିକ
Advertisement
Article Detail0/zeeodisha/odisha2092436

Indian Student: ବିଦେଶରେ ୪୦୩ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, କାନାଡ଼ାରେ ସର୍ବାଧିକ

Indian Student: ଭୁବନେଶ୍ୱର: ବିଦେଶରେ ଭଲ ପାଠପଢ଼ା, ଭଲ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନ ନିଶାରେ ଭାରତୀୟ ମେଧାବୀ ଛାତ୍ର ଦେଶଛାଡ଼ି ଯାଉଛନ୍ତି। କିନ୍ତୁ ସେଠାକାର ପରିସ୍ଥିତି ଓ ବିଭିନ୍ନ କାରଣ ହେତୁ ଅନେକଙ୍କ ମୃତ୍ୟୁ ହେଉଛି। ଭାରତ ସରକାରଙ୍କ ବର୍ହିବ୍ୟାପାର ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ୨୦୧୮ରୁ ଆଜିଯାଏ ୪୦୩ ଜଣ ଭାରତୀୟ ଛାତ୍ରଙ୍କ ବିଦେଶ ମାଟିରେ ମୃତ୍ୟୁ ହୋଇଛି। 

Indian Student: ବିଦେଶରେ ୪୦୩ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, କାନାଡ଼ାରେ ସର୍ବାଧିକ

Indian Student:

ବିଦେଶରେ ଭଲ ପାଠପଢ଼ା, ଭଲ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନ ନିଶାରେ ଭାରତୀୟ ମେଧାବୀ ଛାତ୍ର ଦେଶଛାଡ଼ି ଯାଉଛନ୍ତି। କିନ୍ତୁ ସେଠାକାର ପରିସ୍ଥିତି ଓ ବିଭିନ୍ନ କାରଣ ହେତୁ ଅନେକଙ୍କ ମୃତ୍ୟୁ ହେଉଛି। ଭାରତ ସରକାରଙ୍କ ବର୍ହି ବ୍ୟାପାର ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ୨୦୧୮ରୁ ଆଜିଯାଏ ୪୦୩ ଜଣ ଭାରତୀୟ ଛାତ୍ରଙ୍କ ବିଦେଶ ମାଟିରେ ମୃତ୍ୟୁ ହୋଇଛି। ଏଥିରେ କିଛି ସ୍ୱାଭାବିକ ମୃତ୍ୟୁ ରହିଥିବା ବେଳେ ଅନେକ ଦୁର୍ଘଟଣା ଏବଂ ଚିକିତ୍ସା ବ୍ୟବସ୍ଥାରେ ଅବହେଳାକୁ ଦାୟୀ କରାଯାଇଛି।
 
ଲୋକସଭାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କର (Subrahmanyam Jaishankar)ରଖିଥିବା ସୂଚନା ଅନୁସାରେ କାନାଡ଼ାରେ ସର୍ବାଧିକ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ଘଟିଛି। ୨୦୧୮ରୁ ଏ-ଯାଏ ସେହି ଦେଶରେ ୯୧ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଇଂଲଣ୍ଡରେ ୪୮, ଋଷରେ ୪୦,  ଆମେରିକାରେ ୩୬ ଅଷ୍ଟ୍ରେଲଆରେ ୩୫,   ୟୁକ୍ରେନରେ ୨୧, ଜର୍ମାନୀରେ ୨୦, ସାଇପ୍ରସରେ(Cyprus)୧୪, ଇଟାଲି ଏବଂ ଫିଲିଫାଇନ୍ସରେ ୧୦ ଲେଖାଏ ଛାତ୍ରଙ୍କ ମୃତ୍ୟୁ ଘଟିଛି। 

ଲୋକସଭା ସଦସ୍ୟ ଜୟଦେବ ଗଲ୍ଲାଙ୍କ ଦ୍ୱାରା ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଏହି ବିବରଣୀ ରଖିଛନ୍ତି। ଏହି ବିବରଣୀରେ ୩୪ଟି ଦେଶକୁ ପାଠ ପଢ଼ିବାକୁ ଯାଇ ସେଠାରେ ମୃତ୍ୟୁ ଘଟିଥିବା ଛାତ୍ରଛାତ୍ରୀଙ୍କ କଥା ଲେଖାଯାଇଛି। ଚୀନ, କାତାର, କାଜିଗିସ୍ତାନରେ ୯ଜଣ ଲେଖାଏଁ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ସୂଚନା ଦିଆଯାଇଥିବା ବେଳେ ବାଂଲାଦେଶ, ଫିନ୍‍ଲାଣ୍ଡ, ଫ୍ରାନ୍ସରେ ୪ ଜଣ ଲେଖାଏଁ, ତାଇଓ୍ୱାନରେ ୬ ଜଣ, ସ୍ପେନ, ସୁରିନାମ, କୋରିଆ, ଇଜିପ୍ଟର ଚେକ ଗଣତନ୍ତ୍ରରେ ୩ ଜଣ ଲେଖାଏ, ରୋମାନିଆ, ସ୍ୱିଡେନରେ ୨ ଜଣ ଲେଖାଏଁ ଏବଂ ବାଂଲାଦେଶ, ବୁଲଗେରିଆ, କେନିୟା, ମାଲ୍ଟା, ନରଓ୍ୱେ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ସ୍ୱିଜରଲ୍ୟାଣ୍ଡ ପ୍ରଭୃତି ଦେଶରେ ଜଣେ ଲେଖାଏଁ ଛାତ୍ରଙ୍କର ମୃତ୍ୟୁ ଘଟିଛି। 

ସେହିପରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର କହିଛନ୍ତି, ଭାରତ ସରକାର ବିଭିନ୍ନ ଦେଶରେ ଏହାର ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ବା ମିଶନ କାର୍ଯ୍ୟାଳୟରେ ଗୋଟିଏ ସ୍ୱତନ୍ତ୍ର କାର୍ଯ୍ୟାଳୟ ସ୍ଥାପନ କରି ଭାରତୀୟ ଛାତ୍ରଙ୍କ ସହ ନିୟମିତ ସମ୍ପର୍କରେ ରହିଛି। ଯଦି କୌଣସି ବି ଅସୁବିଧା ରିପୋର୍ଟ ହେଉଛି ତେବେ ଭାରତୀୟ ପ୍ରତିନିଧି ସମ୍ପୃକ୍ତ ଦେଶର ପ୍ରତିନିଧିଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ରକ୍ଷା ଉଦ୍ଦେଶ୍ୟରେ ଆବଶ୍ୟକ କଥାବାର୍ତ୍ତା କରି ଭାରତୀୟ ଛାତ୍ରଙ୍କ ସହାୟତା କରୁଛନ୍ତି। ଏଥିଲାଗି ସମ୍ପୃକ୍ତ ଅଧିକାରୀ ଖୋଦ୍‍ ବିଭିନ୍ନ ସମୟରେ ଭାରତୀୟ ଛାତ୍ରଙ୍କ ସହ ସାକ୍ଷାତ କରୁଛନ୍ତି। ଅନ୍‍ଲାଇନ୍‍ ପୋର୍ଟାଲ୍‍ ମାଧ୍ୟମରେ ଅଭିଯୋଗ ଗ୍ରହଣ କରାଯାଉଛି ବୋଲି ସେ ଗୃହକୁ ସୂଚନା ଦେଇଛନ୍ତି।

ଅନେକ ସମୟରେ ଯୁଦ୍ଧ, କୂଟନୀତିକ ସମ୍ପର୍କରେ ସମସ୍ୟା ଅଥବା ମହାମାରୀ ହେତୁ ଭାରତୀୟ ଛାତ୍ର ଓ ସାଧାରଣ ନାଗରିକଙ୍କୁ ସମ୍ପୃକ୍ତ ଦେଶରୁ ଭାରତ ଫେରାଇ ଆଣିବା ଲାଗି ସରକାର ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ୨୩ ହଜାର ୯୦୬ ଜଣ ଛାତ୍ର ଓ ନାଗରିକଙ୍କୁ ଭାରତ ଫେରାଇ ଅଣାଯାଇଛି। କେନ୍ଦ୍ର ସରକାର କେଉଁ ରାଜ୍ୟରୁ କେତେ ନାଗରିକଙ୍କୁ ବିଦେଶରୁ ସ୍ୱଦେଶ ଅଣାଯାଇଛି ତାହାର ମଧ୍ୟ ଏକ ରିପୋର୍ଟ ଉପସ୍ଥାପନ କରିଛନ୍ତି। 

ଏହି ରିପୋର୍ଟରେ ଓଡ଼ିଶାରୁ ବିଭିନ୍ନ ଆପତ୍ତିକାଳୀନ ପରିସ୍ଥିତିରେ ୫୦୩ ଜଣ ନାଗରିକଙ୍କୁ ରାଜ୍ୟକୁ ଫେରାଇ ଅଣାଯାଇଥିବା କୁହାଯାଇଛି। ଏହି ତାଲିକାରେ ସବୁଠାରୁ ଶୀର୍ଷରେ  କେରଳ ରହିଛି। ଏହି ରାଜ୍ୟର ୩୬୩୬ଜଣଙ୍କୁ ସୁରକ୍ଷିତ ଭାବେ ଭାରତ ଫେରାଇ ଅଣାଯାଇପାରିଛି। ସେହିପରି ଉତ୍ତରପ୍ରଦେଶର ୨୮୬୨ଜଣଙ୍କୁ ଫେରାଇ ଅଣାଯାଇଥିବାବେଳେ, ତାମିଲନାଡ଼ୁର ୧୮୫୪, ରାଜସ୍ତାନର ୧୦୫୪, ମହାରାଷ୍ଟ୍ରର ୧୪୭୦, କର୍ଣ୍ଣାଟକର ୧୦୭୨, ହରିୟାଣାର ୧୫୦୩, ଗୁଜରାଟର ୧୫୧୬, ବିହାରର ୧୪୦୨ ଜଣଙ୍କୁ ଫରାଇ ଅଣାଯାଇଛି। 

ଉପସ୍ଥାପନ କରାଯାଇଥିବା ତାଲିକାରେ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜର ୪, ଅରୁଣାଚଳ ପ୍ରଦେଶର ୧, ଆସାମର ୮୬, ଚଣ୍ଡିଗଡ଼ର ୫୩, ଛତିଶଗଡ଼ର ୨୧୯, ଦାଦ୍ରା ଓ ନଗରହାବେଳୀ ଏବଂ ଦାମନ ଓ ଡିୟୁର ୫ଜଣ ଲେଖାଏ, ଦିଲ୍ଲୀର ୭୪୪, ଗୋଆର ୨୧, ହିମାଚଳର ୩୩୨, ଜମ୍ମୁ ଓ କଶ୍ମୀରର ୧୩୮, ଝାଡ଼ଖଣ୍ତର ୨୩୩, ଲକ୍ଷାଦ୍ୱୀପର୪, ମଧ୍ୟପ୍ରଦେଶର ୪୪୬, ମଣିପୁରର ୪୭, ମେଘାଳୟାର ୪୨, ମିଜୋରାମର ୨, ନାଗାଲ୍ୟାଣ୍ଡର ୯, ପୁଡୁଚେରୀ ୩୫, ପଞ୍ଜାମ ୬୮୦, ସିକ୍କିମର ୩୭, ତେଲେଙ୍ଗାନାର ୮୬୬, ତ୍ରିପୁରାରର ୩୨ ଉତ୍ତରାଖଣ୍ଡର ୨୯୫ ଏବଂ ପଶ୍ଚିମବଙ୍ଗର ୬୪୩ଜଣଙ୍କୁ ଫେରାଇ ଅଣାଯାଇଛି। ସେହିପରି ଏହି ତାଲିକାରେ ୧୧୯୨ଜଣ ଭାରତୀୟଙ୍କୁ ଦର୍ଶାଯାଇଛି ଯେଉଁମାନଙ୍କ ପରିଚୟ କୌଣସି ନିର୍ଦ୍ଦିଷ୍ଟ ରାଜ୍ୟର ବୋଲି ଉଲ୍ଲେଖ ହୋଇନି।